"ମୋ' ସ୍କୁଲ ଅଭିଯାନ" ସହ ସଂଯୁକ୍ତ ହେବା ଓ ଅନୁଦାନ ଦେବା ପାଇଁ ଆମନ୍ତ୍ରଣ

ନିଜ ସ୍କୁଲ ସହିତ ଭାବନାତ୍ମକ ଭାବେ ସଂଯୁକ୍ତ ହେବା ପାଇଁ ଏକ ସୁଯୋଗ ଆଣି ଦେଇଛି “ମୋ’ ସ୍କୁଲ ଅଭିଯାନ”। ଏହା ମାଧ୍ୟମରେ ଆପଣ ନୂଆ ପିଢ଼ିର ଛାତ୍ରଛାତ୍ରୀ ମାନଙ୍କ ସହିତ ମିଶିବା ସହ ସେମାନଙ୍କୁ ସଫଳ ଭବିଷ୍ୟତ ଗଢିବା ଲାଗି ପଥ ପ୍ରଦର୍ଶନ କରିପାରିବେ। କେବଳ ନିଜ ସ୍କୁଲ ନୁହେଁ, ଆପଣ ନିଜ ଇଚ୍ଛା ଅନୁସାରେ ଅନ୍ୟ ସ୍କୁଲ ମଧ୍ୟ ବାଛି ପାରିବେ ଏବଂ ସେଠାରେ କେଉଁ ଉନ୍ନତିମୂଳକ କାମ କରିବାକୁ ଚାହୁଁଛନ୍ତି ତାହା କହି ପାରିବେ।

ନିଜ ପୁରୁଣା ସ୍କୁଲର ଉନ୍ନତି ପାଇଁ ଦାନ କରିବା ଏକ ଉତ୍ତମ ପଦକ୍ଷେପ। ଆପଣ ମଧ୍ୟ ନିଜ ବାପା, ମା’ କିମ୍ବା ଜେଜେମା’, ଜେଜେବାପା ପଢିଥିବା ସ୍କୁଲକୁ ବାଛିପାରିବେ। ମୋ ସ୍କୁଲ ଅଭିଯାନରେ ଅନ୍ତର୍ଭୁକ୍ତ ଓଡିଶାର ବିଭିନ୍ନ ସ୍କୁଲ ମଧ୍ୟରୁ ୧୨୦୦ ଟି ଐତିହ୍ୟ ସ୍କୁଲ (୫୦/୭୫/୧୦୦ବର୍ଷ ପୁରୁଣା) ରହିଛି। ଆପଣ ଏହି ଐତିହ୍ୟ ସ୍କୁଲ ଗୁଡ଼ିକୁ ମଧ୍ୟ ବିବେଚନା କରି ପାରିବେ। କିମ୍ବା ଦୁର୍ଗମ ସ୍ଥାନରେ ଥିବା ସ୍କୁଲଟିଏକୁ ସାହାଯ୍ୟର ହାତ ବଢେଇ ଦେଇ ପାରିବେ। ବିଭିନ୍ନ ସମ୍ଭାବନା ଆପଣଙ୍କ ସାମ୍ନାରେ। ସ୍କୁଲ ବ୍ୟବସ୍ଥାକୁ କିପରି ସୁଦୃଢ କରିବାକୁ ଚାହୁଁଛନ୍ତି, ତାହା ଆପଣଙ୍କ ଉପରେ ନିର୍ଭର କରେ। ଆମେ ଆପଣଙ୍କ ଠାରୁ ଶୁଣିବାକୁ ଚାହୁଁଛୁ ଓ ଆପଣଙ୍କ ସହଯୋଗ ଆଶା କରୁଛୁ।

ଆପଣ ଅର୍ଥଦାନ ଦେଇପାରିବେ, ବିଭିନ୍ନ ଆବଶ୍ୟକ ସାମଗ୍ରୀ ଦାନ କରିପାରିବେ ଅଥବା ନିଜ ଇଚ୍ଛା ଅନୁସାରେ ସ୍କୁଲ ବାଛି ତାହାର ଉନ୍ନତି ପାଇଁ ସମୟ ଦେଇ ପାରିବେ। ଦାତାଙ୍କ ଦ୍ୱାରା ଦିଆଯାଉଥିବା ଅନୁଦାନର ଦୁଇଗୁଣ ରାଜ୍ୟ ସରକାର ପ୍ରଦାନ କରିବେ। ଉଦାହରଣ ସ୍ୱରୂପ, ଆପଣ ଯଦି ସ୍କୁଲର ଭିତ୍ତିଭୂମି ନିର୍ମାଣ ପାଇଁ ଲକ୍ଷେ ଟଙ୍କା ଦାନ କରିବେ, ତେବେ ସରକାର ତାହାର ଦୁଇ ଗୁଣ ଅର୍ଥାତ ୨ଲକ୍ଷ ପ୍ରଦାନ କରିବେ। ଆପଣଙ୍କ ଅନୁଦାନ ମାଧ୍ୟମରେ ସ୍କୁଲ ୩ଲକ୍ଷ ଟଙ୍କା ପାଇବ।

ନିମ୍ନଲିଖିତ କେତେକ ଉପାୟରେ ଆପଣ ଅନୁଦାନ ଦେଇପାରିବେ। ତେବେ ଏହି ତାଲିକାଟି ଚୂଡାନ୍ତ ନୁହେଁ, କେବଳ କେତେକ ପ୍ରସ୍ତାବ ଦିଆଯାଇଛି। ଆପଣ ନିଜ ମତାମତ ନେଇ ଆମ ପାଖକୁ ଆସିପାରିବେ।

ଆପଣ ମଧ୍ୟ ମୋ ସ୍କୁଲର ଫେସବୁକ୍‌ ପେଜ୍‌ ଟ୍ଵିଟର୍‌ ହାଣ୍ଡଲ୍‌ କୁ ଯାଇ ଦେଖିପାରିବେ ଯେ କିପରି ଓଡ଼ିଆମାନେ ଏହି ଅଭିଯାନ ସହ ଜଡିତ ହୋଇଛନ୍ତି ଓ ଦାନ କରୁଛନ୍ତି।

ଆପଣ କୌଣସି ଏକ ସ୍କୁଲ ସହିତ ଜଣେ ବିଶେଷଜ୍ଞ ଭାବରେ ସଂଯୁକ୍ତ ହୁଅନ୍ତୁ।ଆପଣ ସ୍କୁଲର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବାରେ ସହାୟତା କରିପାରିବେ, ଲକ୍ଷ୍ୟଧାର୍ଯ୍ୟ କରିପାରିବେ କିମ୍ବା ପ୍ରକଳ୍ପ ଯୋଜନା ଓ କାର୍ଯ୍ୟକାରୀ କରିବାରେ ସହାୟତା କରିପାରିବେ।ଯେଉଁ ସ୍କୁଲରେ ପୁରାତନ ଛାତ୍ରସଂଘ ନାହିଁ, ସେଠାରେ ଏକ ଆସୋସିଏସନ୍‌ ଗଠନ କରନ୍ତୁ। ଯଦି ଛାତ୍ର ସଂଘଟି ନିଷ୍କ୍ରିୟ ଭାବରେ ଥାଏ, ତାକୁ ସକ୍ରିୟ କରନ୍ତୁ ଏବଂ "ମୋ' ସ୍କୁଲ ଅଭିଯାନ"ରେ ସଂଶ୍ଳିଷ୍ଟ କରନ୍ତୁ।
ଆପଣ ସ୍କୁଲର ବାହ୍ୟ ଭିତ୍ତିଭୂମି, ଶିକ୍ଷାଦାନ ବାତାବରଣ କିମ୍ବା ସ୍କୁଲ ଭିତରେ ବା ବାହାରେ ଦିଆଯାଉଥିବା ସହାୟକ ଶିକ୍ଷାଦାନ ପ୍ରକ୍ରିୟାକୁ ଉନ୍ନତ କରିବାକୁ ନିଜର ସମୟ ବା ସେବାଦାନ କରିପାରିବେ।ଉଦାହରଣ ସ୍ୱରୂପ ଆପଣ ସ୍କୁଲ ସହିତ ହାତମିଳାଇ ସ୍କୁଲରେ ଏକ ଛୋଟ ଜୈବ-ବିବିଧତା ପାର୍କ୍‌, ବଗିଚା, ସ୍କୁଲ କ୍ୟାବିନେଟ୍‌, ଏକ ସାହିତ୍ୟ ଆସର କିମ୍ବା ଚଳଚ୍ଚିତ୍ର ବା ସନ୍ଧାନୀ କ୍ଲବଟିଏ ସ୍ଥାପନ କରିପାରିବେ।ଆପଣ ମଧ୍ୟ ପିଲାମାନଙ୍କ ମଧ୍ୟରେ ନିଜର ଅଭିଜ୍ଞତା ବାଣ୍ଟିପାରିବେ, କାହାଣୀ କହି ପାରିବେ, କଳା କୌଶଳ ଶିକ୍ଷା ଦେଇପାରିବେ।ଆପଣ ପିଲାମାନଙ୍କୁ ସ୍କୁଲ ସମୟ ପରେ ବା ସପ୍ତାହ ଶେଷରେ ସାହାଯ୍ୟ କରିପାରିବେ।ସ୍କୁଲପରିସରକୁପରିଷ୍କାରକରିବା, ଶ୍ରେଣୀ ଗୃହକୁ ସୁନ୍ଦର ରଖିବା, ଭାଙ୍ଗି ଯାଇଥିବା ସାମଗ୍ରୀକୁ ମରାମତି କରିବା, ସ୍କୁଲ କୁ ରଙ୍ଗ କରିବା ଇତ୍ୟାଦି କ୍ଷେତ୍ରରେ ଆପଣ ଯୋଗଦାନ ଦେଇପାରିବେ।
ଆପଣ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ପାଇଁ ଅନ୍ୟ କେତେକ ଉପାୟରେ ଅନୁଦାନ ଦେଇ ପାରିବେ, ଯେପରିକି ଅନଲାଇନ କୋର୍ସ ଫି ପ୍ରଦାନ, ବିଜ୍ଞାନ ଉପକରଣ, ଗଣିତ ଉପକରଣ, ଭୂଗୋଳ ଉପକରଣ, କ୍ରୀଡା ଉପକରଣ, ସଂଗୀତ ଉପକରଣ ଇତ୍ୟାଦି। ଆପଣ ଶିକ୍ଷଣୀୟ ଭ୍ରମଣର ପ୍ରାୟୋଜନ କରିପାରିବେ କିମ୍ବା ଅଭିନବ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ପୁରସ୍କାର ଘୋଷଣା କରିପାରିବେ। ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଏସବୁ ଅବଦାନ ବେଶ ସହାୟକ ହେବ।ଆପଣ ମଧ୍ୟ ସାଧାରଣ ଆବଶ୍ୟକୀୟ ସାମଗ୍ରୀ ଯଥା ଓ୍ଵାଟର୍‌ଫିଲ୍‌ଟର୍‌, ହାତଧୋଇବା କିଟ୍, ମଧ୍ୟାହ୍ନ ଭୋଜନ ପାଇଁ ବାସନ, ପଙ୍ଖା, ଆସବାବପତ୍ର ଆଦି ଦାନ କରିପାରିବେ।ତେବେ ବିଭିନ୍ନ ସାମଗ୍ରୀ /ଉପକରଣ ଆକାରରେ ଦିଆଯାଉଥିବା ଦାନ ପ୍ରତି ବଦଳରେ ରାଜ୍ୟ ସରକାର କୌଣସି ଅନୁଦାନ ଦେବେନାହିଁ।କେବଳ ଅର୍ଥଦାନ କ୍ଷେତ୍ରରେ ସରକାର ଦୁଇଗୁଣ ଅନୁଦାନ ଦେବେ।
ଆପଣ ଗୋଟିଏ ସ୍କୁଲ କିମ୍ବା ଏକାଧିକ ସ୍କୁଲ ପାଇଁ ଆର୍ଥିକ ସହାୟତା ଦେଇପାରିବେ।ଆପଣଙ୍କର ଆର୍ଥିକ ସହାୟତାର ଦୁଇଗୁଣ ଆର୍ଥିକ ଅନୁଦାନ ରାଜ୍ୟ ସରକାର ପ୍ରଦାନ କରିବେ।ଆପଣଙ୍କ ପାଣ୍ଠି ସ୍କୁଲର ସାମଗ୍ରିକ ଉନ୍ନତି ଯେପରିକି ଭିତ୍ତିଭୂମି ବିକାଶ (ଶ୍ରେଣୀଗୃହ, ପାଚେରୀ, ଶୌଚାଳୟଆଦି), ବଗିଚା, ବର୍ଷାଜଳ ସଂରକ୍ଷଣ, ସୌରଶକ୍ତି ବ୍ୟବହାର, ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ମୌଳିକସୁବିଧା, ପିଲାମାନଙ୍କ ପାଇଁ ଅନୁକୂଳ ବାତାବରଣ ତଥା ପାଠାଗାର, ବିଜ୍ଞାନାଗାର ପରିଶିକ୍ଷଣୀୟ ପରିବେଶ, ଶିକ୍ଷାଦାନ ଉପକରଣ, ଡିଜିଟାଲ ବିଷୟବସ୍ତୁ, ଏନସାଇକ୍ଲୋପେଡିଆ ପରିପଠନ ସାମଗ୍ରୀ ଆଦିରେ ବିନିଯୋଗ ହେବ। ଆପଣଙ୍କ ସହାୟତାରେ ଶିକ୍ଷାଦାନ ମାନରେ ଉନ୍ନତି, ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଜ୍ଞାନର ପରିସୀମାକୁ ବଢାଇବା ପାଇଁ ଶିକ୍ଷଣୀୟ ଭ୍ରମଣରେ ମଧ୍ୟ ନିୟୋଜିତ ହେବ।

୧୨ ପ୍ରକାରର କ୍ଷେତ୍ର

ଆପଣ "ମୋ' ସ୍କୁଲ ଅଭିଯାନ"ରେ ସଂଯୁକ୍ତ ହୋଇ ଦାନ କରିବା ପାଇଁ ବିଚାର କରିବା ବେଳେ ଏହି ୧୨ ପ୍ରକାରର କ୍ଷେତ୍ରକୁ ମନରେ ରଖି ଯୋଜନା ବିଷୟରେ ନିଷ୍ପତ୍ତି ନିଅନ୍ତୁ।

1 / ସ୍ବେଚ୍ଛାକୃତ ସେବା

ଦୂରରେ ଥାଆନ୍ତୁ ବା ପାଖରେ, ନିଜର ବହୁମୂଲ୍ୟ ସମୟରୁ କିଛି ଦିଅନ୍ତୁ। ଶିକ୍ଷା ଦେବା, ତାଲିମ, ପରାମର୍ଶ, ଆଲୋଚନା କରିବା, ପରିଷ୍କାର କରିବା, ସ୍କୁଲର ସୌନ୍ଦର୍ଯ୍ୟ ବୃଦ୍ଧି କରିବା, ମରାମତି କରିବା, ବଗିଚାରେ ଗଛ ଲଗାଇବା, ବଢାଇବା ଇତ୍ୟାଦି ଆପଣ କରିପାରିବେ।

2 / ଉପଦେଷ୍ଟା ହେବା/ରୋଲ୍‌ ମଡେଲ୍‌ ହେବା/କ୍ୟାରିୟର ପରାମର୍ଶ ଦେବା

ନୂଆ ନୂଆ ଜିନିଷ ଶିଖିବା ପାଇଁ ପିଲାମାନେ ଖୋଜନ୍ତି ଜଣେ ପଥପ୍ରଦର୍ଶକ, ପରାମର୍ଶଦାତା, ସହାନୁଭୂତିଶୀଳ ମଣିଷ କିମ୍ବା ରୋଲ୍‌ ମଡେଲ୍‌। ଆପଣ ଜଣେ ପଥ ପ୍ରଦର୍ଶକ ହୁଅନ୍ତୁ, ଜଣେ ରୋଲ୍‌ ମଡେଲ୍‌ ହୁଅନ୍ତୁ। ସେମାନଙ୍କୁ କ’ଣ ଭଲ ଲାଗେ, କ’ଣ ଅନୁପ୍ରାଣିତ କରେ, କ’ଣ ସେମାନଙ୍କର ସ୍ୱପ୍ନ, ତାହା ଧୈର୍ଯ୍ୟର ସହ ଶୁଣନ୍ତୁ। ପିଲାମାନଙ୍କୁ ଜ୍ଞାନ ଓ ଅଭିଜ୍ଞତା ବାଣ୍ଟନ୍ତୁ, ସେମାନଙ୍କର ସହାୟତା କରନ୍ତୁ, ସେମାନଙ୍କୁ ସଫଳତା ଓ ବିଫଳତାର କାହାଣୀ କୁହନ୍ତୁ ଏବଂ ନିଜର ଇପ୍‌ସିତ ପେଷା ବା ବୃତ୍ତି ବାଛିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରନ୍ତୁ।

3 / ବାହ୍ୟ ଭିତ୍ତିଭୂମି

ଆପଣଙ୍କ ପସନ୍ଦର ସ୍କୁଲରେ ଥିବା ଭିତ୍ତିଭୂମି ଅଭାବ ଯଥା ହଷ୍ଟେଲ, ବିଜ୍ଞାନାଗାର, ପାଠାଗାର, ବୈଦ୍ୟୁତିକ ସାମଗ୍ରୀ, ଇଣ୍ଟରନେଟ୍‌, ଶ୍ରେଣୀଗୃହ, ଆସବାବପତ୍ର, ଶୌଚାଳୟ, ନିର୍ମଳ ପାନୀୟ ଜଳ, ପାଚେରୀ, ହ୍ଵିଲଚେୟାର ଯିବା ପାଇଁ ପଥ ଆଦିକୁ ପୂରଣ କରିବାକୁ ଅର୍ଥ ଓ ସମୟ ଦାନ ଦିଅନ୍ତୁ।

4 / ମାନସିକ ଭିତ୍ତିଭୂମି

ଛାତ୍ରଛାତ୍ରୀଙ୍କର ଉଭୟ ଦକ୍ଷିଣ ଓ ବାମ ମସ୍ତିଷ୍କ ବିକଶିତ କରାଇବା ପାଇଁ ଅଭିନବ ଉପାୟରେ ଶିକ୍ଷାଦାନ କରାଯାଉ। ସେମାନଙ୍କୁ ସେମାନଙ୍କର ବୟସ ଅନୁଯାୟୀ ଛପା ହୋଇଥିବା ବିଷୟବସ୍ତୁ, ଚଳଚ୍ଚିତ୍ର କିମ୍ବା ଡକ୍ୟୁମେଣ୍ଟାରୀ ପ୍ରଦାନ ଲାଗି ଉଦ୍ୟମ କରନ୍ତୁ। ସେସବୁ କିଣି ବା ସଂଗ୍ରହ କରି ନୂଆ ନୂଆ ଉପାୟରେ ସେମାନଙ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରନ୍ତୁ। ଶିକ୍ଷାଦାନରେ କଳା, ଭାସ୍କର୍ଯ୍ୟ, ସନ୍ଧାନ, ସ୍ଥାପତ୍ୟ, ଡିଜାଇନ, ପ୍ରଯୁକ୍ତି, ବିଜ୍ଞାନ, ପ୍ରକୃତି, ସଂସ୍କୃତି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରନ୍ତୁ।

5 / ସ୍ୱାସ୍ଥ୍ୟ, ପୋଷଣ ଓ ନିରାମୟତା

ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସ୍ତରକୁ ବଢାଇବାକୁ ଅନୁଦାନ ଦିଅନ୍ତୁ କିମ୍ବା ସହାୟତା କରନ୍ତୁ। ଚାଲୁଥିବା ପ୍ରକଳ୍ପରେ ଆପଣ ଅଂଶ ଗ୍ରହଣ କରନ୍ତୁ ବା ସ୍କୁଲମାନଙ୍କ ପରାମର୍ଶ ନେଇ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ। ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଓ ମାନସିକ ନିରାମୟତା ନିଶ୍ଚିତ କରୁଥିବା ପଦକ୍ଷେପର ପରିକଳ୍ପନା କରି ସେଗୁଡିକୁ କାର୍ଯ୍ୟକାରୀ କରିବାର ଚେଷ୍ଟା କରନ୍ତୁ।

6 / କ୍ରୀଡା

ସ୍କୁଲ ପାଇଁ କ୍ରୀଡା ଭିତ୍ତିଭୂମି ନିର୍ମାଣ ଏବଂ ପିଲାମାନଙ୍କୁ କୋଚିଂ ସହାୟତା ପ୍ରଦାନ ପାଇଁ ଆର୍ଥିକ ସହାୟତା କରନ୍ତୁ, ସମୟ ଦିଅନ୍ତୁ କିମ୍ବା ବିଭିନ୍ନ ଆବଶ୍ୟକୀୟ ଉପକରଣ ଦେଇ ସହାୟତା କରନ୍ତୁ।

7 / ମାନବିକ / ପ୍ରଯୁକ୍ତିଗତ ସହାୟତା

ଛାତ୍ରଛାତ୍ରୀମାନେ ଯେପରି ସାଧାରଣ ଜ୍ଞାନ, ବିଶେଷ ଜ୍ଞାନ, ସାହିତ୍ୟ, ଚିତ୍ରକଳା, ଅଭିନୟ, ନୃତ୍ୟକଳା ଆଦି ଶିଖିପାରିବେ ଏବଂ କୁଶଳୀ ହୋଇପାରିବେ, ସେଥିପାଇଁ ମାନବିକ ଓ ପ୍ରଯୁକ୍ତିଗତ ସହାୟତା ପ୍ରଦାନ କରନ୍ତୁ। ସେମାନେ ଯେପରି ଶିକ୍ଷଣୀୟ ଭ୍ରମଣ କରିପାରିବେ, ବିଭିନ୍ନ ଆଦାନପ୍ରଦାନ କାର୍ଯ୍ୟକ୍ରମ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା/ସାହିତ୍ୟ/ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ, ତା’ର ବ୍ୟବସ୍ଥା କରନ୍ତୁ।

8 / ଶିକ୍ଷକ ସହାୟତା

ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ମୋ ସ୍କୁଲ ଅଭିଯାନ ଶିକ୍ଷକମାନଙ୍କର କର୍ମଶାଳା, ସେମିନାର, ସମ୍ମିଳନୀ, ଅଭିଜ୍ଞତା ଭ୍ରମଣ, ଆଦାନପ୍ରଦାନ କାର୍ଯ୍ୟକ୍ରମ ଓ ପେଶାଦାର ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରେ ।

9 / ପ୍ରକଳ୍ପଭିତ୍ତିକ ଶିକ୍ଷା

ଘୋଷାପାଠ ସଂସ୍କୃତିକୁ ଲୋପ କରିବା ପାଇଁ ଉଦ୍ୟମ କରନ୍ତୁ। ସୃଜନାତ୍ମକ ଚିନ୍ତାଧାରା ଏବଂ ଗବେଷଣା ଭିତ୍ତିକ ସମସ୍ୟା ସମାଧାନ ଲାଗି ସେମାନଙ୍କୁ ଶିକ୍ଷା ଦିଅନ୍ତୁ।

10 / ସ୍ବାବଲମ୍ବୀ ସଂସ୍କୃତିର ବିକାଶ

ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ସୃଜନାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରନ୍ତୁ। ବିଭିନ୍ନ ସାମଗ୍ରୀର ମରାମତି କିପରି ହେବ, ନୂଆ ନୂଆ ସାମଗ୍ରୀ କିପରି ନିର୍ମାଣ କରାଯାଇପାରିବ କିମ୍ବା ସେସବୁର ପରିକଳ୍ପନା କେମିତି କରାଯିବ ତାହା ସେମାନଙ୍କୁ ଶିଖାନ୍ତୁ। ପୋଡାମାଟିର ବିଭିନ୍ନ ପଦାର୍ଥ, କାଠ କାମ, ବିଦ୍ୟୁତ ଉପକରଣ ନିର୍ମାଣ ଇତ୍ୟାଦିର କର୍ମଶାଳା ଆୟୋଜନ କରନ୍ତୁ। ସେମାନଙ୍କୁ ସ୍ବାବଲମ୍ବୀ କରେଇବାର ଚେଷ୍ଟା କରନ୍ତୁ।

11 / ସବୁଜସଂସ୍କୃତି/ପର୍ଯ୍ୟାବରଣ ମୁଖପାତ୍ର

ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାବରଣର ମୁଖପାତ୍ର ହେବା ପାଇଁ ଉତ୍ସାହିତ କରନ୍ତୁ। ଜଳବାୟୁ ପରିବର୍ତ୍ତନ ବିଷୟରେ ସେମାନଙ୍କୁ ଅବଗତ କରାନ୍ତୁ। ସେମାନେ କିପରି ପରିବେଶ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା କରିପାରିବେ ତାହା ସେମାନଙ୍କୁ ଶିଖାନ୍ତୁ। ବୃକ୍ଷ ରୋପଣ ତଥା ବୃକ୍ଷର ସଂରକ୍ଷଣ ପ୍ରତି ସେମାନଙ୍କର ଆଗ୍ରହ ସୃଷ୍ଟି କରାନ୍ତୁ। ସ୍କୁଲରେ ତଥା ନିଜ ନିଜ ଘରେ ବଗିଚା କେମିତି କରାଯାଇପାରିବ, ସେ ଶିକ୍ଷା ମଧ୍ୟ ଦିଅନ୍ତୁ। ଏସବୁ ଶିକ୍ଷାରୁ ସେମାନେ ପରିବେଶକୁ ଭଲ ପାଇବାକୁ ଶିଖିବେ।

12 / ଉଦ୍ୟୋଗଶୀଳତା

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗୀଭାବନାକୁ ପ୍ରୋତ୍ସାହିତ କରନ୍ତୁ। ଶିକ୍ଷାଲାଭ ପରେ ଚାକିରିରେ ନିଯୁକ୍ତ ନହୋଇ ନିଜେ ଯେଭଳି ନିଯୁକ୍ତି ପ୍ରଦାନକାରୀ ହୋଇପାରିବେ, ସେଇ ପରିକଳ୍ପନାକୁ ସେମାନଙ୍କ ମନରେ ସ୍ଥାପନ କରନ୍ତୁ। ନିଜର ପରିକଳ୍ପନା ଗୋଟିଏ ଲାଭଜନକ ବ୍ୟବସାୟରେ ପରିଣତ ହୋଇ ପାରିବ କି ନାହିଁ, ତାହା ବୁଝିବାର କ୍ଷମତା ସେମାନଙ୍କ ଭିତରେ ସୃଷ୍ଟି କରନ୍ତୁ। ତାହାର ଅଧ୍ୟୟନ, ପ୍ରକଳ୍ପ ଡିଜାଇନ, ସମୟସୀମା ନିର୍ଦ୍ଧାରଣ, ପ୍ରକଳ୍ପ ପରିଚାଳନା ଓ ଅଭିବୃଦ୍ଧି, ପାଣ୍ଠି ସଂଗ୍ରହ ଓ ରାଜସ୍ୱ ଆୟ କରିବା ସଂପର୍କରେ ମଧ୍ୟ ସେମାନଙ୍କୁ ଶିକ୍ଷାଦିଅନ୍ତୁ ।

ଦାନ କରିବା ପାଇଁ ୩ଟି ଉପାୟ

01

ସ୍କୁଲର ପ୍ରଧାନଶିକ୍ଷକ / ପ୍ରଧାନଶିକ୍ଷୟିତ୍ରୀ / ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ।

02

ନିଜ ସ୍କୁଲକୁ ଖୋଜନ୍ତୁ ଏବଂ ପେମେଣ୍ଟ୍ ଗେଟୱେ ବ୍ୟବହାର କରି ଇଲେକ୍ଟ୍ରୋନିକ ପେମେଣ୍ଟ କରନ୍ତୁ ।

03

"ମୋ" ସ୍କୁଲ" ଟିମକୁ reachout@moschool.in ମାଧ୍ୟମରେ ଲେଖନ୍ତୁ ।

ଇଲେକ୍ଟ୍ରୋନିକ ପେମେଣ୍ଟ୍ ର ବିଭିନ୍ନ ସୋପାନ

ଆପଣ ଯଦି ସ୍କୁଲର ପ୍ରଧାନଶିକ୍ଷକ / ପ୍ରଧାନଶିକ୍ଷୟିତ୍ରୀଙ୍କୁ ସିଧାସଳଖ ଯୋଗାଯୋଗ କରିବାକୁ ଚାହାନ୍ତି :

ସେମାନେ ଆନନ୍ଦର ସହିତ ଆପଣଙ୍କ ପ୍ରକଳ୍ପ ପ୍ରସ୍ତାବ ଓ ଆବଶ୍ୟକ ପାଣ୍ଠି ସଂପର୍କରେ ଆଲୋଚନା କରିବେ ଓ ଚୂଡାନ୍ତ ନିଷ୍ପତ୍ତି ନେବେ। ସେମାନେ ଆପଣଙ୍କୁ ଉକ୍ତ ସ୍କୁଲର “ମୋ’ ସ୍କୁଲ” ବ୍ୟାଙ୍କ ଖାତାରେ ଟଙ୍କା ପଠାଇବାକୁ ପରାମର୍ଶ ଦେବେ। ଏହା ପରେ ସେମାନେ ଏହି ପ୍ରକଳ୍ପ ପ୍ରସ୍ତାବ ଓ ପାଣ୍ଠି ବିବରଣୀ ମୋ ସ୍କୁଲ କାର୍ଯ୍ୟକାରୀ ପରିଷଦ ନିକଟକୁ ଅନୁମୋଦନ ଏବଂ ଦୁଇ ଗୁଣ ସରକାରୀ ଅନୁଦାନ ପାଇଁ ପଠାଇବେ। ଅନୁମୋଦନ ଓ ଦୁଇଗୁଣ ସରକାରୀ ଅନୁଦାନ ଆସିବା ପରେ ପ୍ରଧାନଶିକ୍ଷକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବେ ।

ଆପଣ ଯଦି ମୋ ସ୍କୁଲ ଟିମ୍‌କୁ ଇମେଲ୍‌ ମାଧ୍ୟମରେ ଯୋଗାଯୋଗ କରନ୍ତି :

ସେମାନେ ଆପଣଙ୍କୁ ସିଧାସଳଖ ସଂପୃକ୍ତ ସ୍କୁଲ ପରିଚାଳନା ବା ସ୍କୁଲର ପୁରାତନ ଛାତ୍ର ପରିଷଦ (ଆବଶ୍ୟକ ସ୍ଥଳେ) ସହ ଯୋଗାଯୋଗ କରାଇଦେବେ କିମ୍ବା ଆପଣଙ୍କ ପ୍ରକଳ୍ପ ବିବରଣୀ ଓ ପାଣ୍ଠିକୁ ଏହି ୱେବସାଇଟ୍‌ର ମାଧ୍ୟମରେ ପଠାଇବା ପାଇଁ ପରାମର୍ଶ ଦେବେ । ଏଣୁ ଆପଣଙ୍କୁ ଦୁଇଟି ଉପାୟ ମଧ୍ୟରୁ ଗୋଟିକୁ ବାଛିବାକୁ ଆମେ ଅନୁରୋଧ କରୁଛୁ: ସ୍କୁଲ କର୍ତ୍ତୃପକ୍ଷ / ପୁରାତନ ଛାତ୍ରପରିଷଦ ସହ ସିଧାସଳଖ ଯୋଗାଯୋଗ କରନ୍ତୁ ବା ଅନଲାଇନ୍‌ ବ୍ୟବସ୍ଥାର ଉପଯୋଗ କରନ୍ତୁ।

ଆପଣ ଯଦି ଏହି ୱେବସାଇଟ୍‌ର ପେମେଣ୍ଟ ଗେଟୱେ ବ୍ୟବହାର କରି ଇଲେକ୍ଟ୍ରୋନିକ ଉପାୟରେ ଟଙ୍କା ପଠାଇବାକୁ ଚାହୁଁଛନ୍ତି, ନିମ୍ନ ଲିଖିତ ସୋପାନ ଦେଇ ଯାଆନ୍ତୁ।

ପ୍ରଥମ ସୋପାନ

ନିଜ ସ୍କୁଲକୁ ଖୋଜନ୍ତୁ। ସ୍କୁଲ ପୃଷ୍ଠାରେ ‘ଅନୁଦାନ’ (Contribute) ଲିଙ୍କ୍‌ ବାଛନ୍ତୁ। ସେହି ପୃଷ୍ଠାରେ ଆପଣଙ୍କର ମୋବାଇଲ୍‌ ନମ୍ବର ଓ ଇମେଲ୍‌ ଆଇ ଡି ଦେଇ ରେଜିଷ୍ଟର୍‌ କରନ୍ତୁ।

ଦ୍ୱିତୀୟ ସୋପାନ

ରେଜିଷ୍ଟର୍‌ କରିସାରିବା ପରେ ଏସ୍ଏମ୍‌ଏସ୍‌ ମାଧ୍ୟମରେ ଆପଣଙ୍କ ପାଖକୁ ପଠା ଯାଇଥିବା ୟୁଜର୍‌ ଆଇଡି ଓ ପାସ୍‌ୱାର୍ଡ୍‌ ବ୍ୟବହାର କରି ଲଗ୍‌ ଇନ୍‌ କରନ୍ତୁ।

ତୃତୀୟ ସୋପାନ

ଲଗ୍‌ ଇନ୍‌ କରିବା ପରେ ଅନୁଦାନ ପୃଷ୍ଠାରେ ସମସ୍ତ ବିବରଣୀ ଦିଅନ୍ତୁ। ତା’ପରେ ତାଲିକା ଦେଖି ଗୋଟିଏ ବିଭାଗ ଓ କ୍ଷେତ୍ର ବାଛନ୍ତୁ। ଅନୁଦାନର ପରିମାଣ ଉଲ୍ଲେଖ କରନ୍ତୁ।

ମନେରଖନ୍ତୁ ଆପଣଙ୍କ ଆଥିର୍କ ଅନୁଦାନ ପରିମାଣର ଦୁଇଗୁଣ ରାଜ୍ୟ ସରକାର ଅନୁଦାନ ଆକାରରେ ପ୍ରଦାନ କରିବେ। ଉଦାହରଣସ୍ୱରୂପ, ଆପଣ ଯଦି ୧ ଲକ୍ଷ ଟଙ୍କା ଦାନ କରନ୍ତି ତେବେ ସରକାର ୨ ଲକ୍ଷ ଟଙ୍କା ଅନୁଦାନ ଦେବେ।

ଚତୁର୍ଥ ସୋପାନ

ଦାତା ସ୍ବୀକୃତି (Donor Declaration) ଓ “ମୋ’ ସ୍କୁଲ” ପ୍ରତ୍ୟାଖ୍ୟାନ ସମ୍ବନ୍ଧୀୟ ଉକ୍ତି (Disclaimer) ଭଲ ଭାବରେ ପଢି ‘ମୁଁ ରାଜି’ ବଟନ୍‌ରେ କ୍ଲିକ୍‌ କରନ୍ତୁ। ଏହାପରେ ଆପଣ ପେମେଣ୍ଟ୍‌ ଗେଟ୍‌ୱେକୁ ଯାଇ ପାରିବେ।

ଆପଣ ସୋପାନ ୧ରୁ ୩ ପୂରଣ କରିନଥିଲେ, ପେମେଣ୍ଟ ଗେଟୱେକୁ ଯାଇପାରିବେ ନାହିଁ ।

ପଞ୍ଚମ ସୋପାନ

ଇଲେକ୍ଟ୍ରୋନିକ ପେମେଣ୍ଟ୍‌ ହେବା ପରେ “ମୋ’ ସ୍କୁଲ” ଟିମ୍‌ ଆପଣଙ୍କ ପ୍ରକଳ୍ପ ଓ କ୍ଷେତ୍ର ବିଷୟରେ ବିଚାର କରି ୨X ଅନୁଦାନ ଦେବେ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଏହି ଅର୍ଥ ସ୍କୁଲକୁ ପଠାଇ ଦିଆଯିବ।

ଷଷ୍ଠ ସୋପାନ

“ମୋ’ ସ୍କୁଲ” ଟିମ୍‌/ସ୍କୁଲ/ଜିଲ୍ଲା କର୍ତ୍ତୃପକ୍ଷ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମୟରେ ଆପଣଙ୍କ ସହିତ ଯୋଗାଯୋଗରେ ରହିବେ। ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେମାନେ ଆପଣଙ୍କୁ ଅବଗତ କରାଇବେ। ଏହା ବ୍ୟତୀତ ଆପଣ ନିଜର ୟୁଜର୍‌ ଆଇଡି ଓ ପାସ୍‌ୱାର୍ଡ୍‌ ବ୍ୟବହାର କରି ଆପଣଙ୍କ ସ୍କୁଲ ପୃଷ୍ଠାରୁ ଆପଣଙ୍କ ଅନୁଦାନ ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବେ।

top

ନିଜ ସ୍କୁଲକୁ ଖୋଜନ୍ତୁ ଏବଂ ଅନୁଦାନ କରନ୍ତୁ ।

top