"ମୋ' ସ୍କୁଲ" ଟିମ୍‌

“ମୋ’ ସ୍କୁଲ” କେନ୍ଦ୍ରୀୟ ଟିମ୍‌ରେ ରହିଛନ୍ତି ସ୍ବନାମଧନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂଗଠନରୁ ଆସିଥିବା କେତେକ ଅଭିଜ୍ଞ ବ୍ୟକ୍ତି। ସେମାନେ ଶିଶୁର ଜୀବନ ଗଢିବା ଓ ବିକାଶ ଦିଗରେ ଶିକ୍ଷାର ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରନ୍ତି।

“ମୋ’ ସ୍କୁଲ” କେନ୍ଦ୍ରୀୟ ଟିମ୍‌ରେ ଜଣେ ସଦସ୍ୟ ସଚିବ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଏମ୍‌ଏସ୍‌ ଓ ସିଇଓ) ଅଛନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ଅଛନ୍ତି ଜଣେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଓଓ), ଯିଏ କି କାର୍ଯ୍ୟକ୍ରମର ପରିଚାଳନା କରନ୍ତି। ଏହା ସହ ଅଛନ୍ତି ଜଣେ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସ୍‌ଡି), ଯିଏ କି ମୋ ସ୍କୁଲର ଆର୍ଥିକ ତଥା ନିୟମିତ ଶାସନରେ ସହାୟତା କରନ୍ତି।

ସଦସ୍ୟ ସଚିବ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ରିପୋର୍ଟ କରନ୍ତି। ଜଣେବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସରକାର ଅଧ୍ୟକ୍ଷ/ଅଧ୍ୟକ୍ଷା ଭାବରେ ନିର୍ବାଚନ କରନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର କମିସନର୍‌ ତଥା ସଚିବ ଏହାର ଉପାଧ୍ୟକ୍ଷ। ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏହାର ସଦସ୍ୟ ସଚିବ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ।କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଏହାର ବିଭିନ୍ନ ଶାଖା ଯଥା ସର୍ବ ଶିକ୍ଷା ଅଭିଯାନ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଏବଂ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ (ଏସସିଇଆର୍‌ଟି) ସହ ସମନ୍ଵୟରକ୍ଷା କରି କାର୍ଯ୍ୟ କରନ୍ତି।

କେତେଜଣ ସରକାରୀ ଅଫିସର୍‌, ଯଥା ଓଡ଼ିଶା ଶିକ୍ଷା ସେବା (ଓଇଏସ୍‌)ଅଧିକାରୀ, ଓଡ଼ିଶା ଟିକସ ଓ ଲେଖା ସେବା (ଓଟିଏଏସ୍‌)ଅଧିକାରୀ, ସେକ୍ସନ୍‌ ଅଫିସର, ପ୍ରଶାସନିକ ସହକାରୀ କର୍ମଚାରୀ- ଏହି କେନ୍ଦ୍ରୀୟ ଟିମ୍‌ ସହ ମିଶି କାର୍ଯ୍ୟ କରନ୍ତି ।

"ମୋ' ସ୍କୁଲ" କେନ୍ଦ୍ରୀୟ ଟିମ୍‌



"ମୋ' ସ୍କୁଲ" ପ୍ରଶାସନିକ ପରିଷଦ

“ମୋ’ ସ୍କୁଲ”ର ଅଧ୍ୟକ୍ଷା ପ୍ରଶାସନିକ ପରିଷଦ(ଜିସି)ର ମୁଖ୍ୟ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଏହାର ଉପାଧ୍ୟକ୍ଷ ଏବଂ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏହାର ସଦସ୍ୟ ସଚିବ। ପ୍ରଶାସନିକ ପରିଷଦର ସଦସ୍ୟମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶକ, ସ୍କୁଲ ଓ ଗଣଶିକ୍ଷା ବିଭାଗର ଅର୍ଥନୈତିକ ଉପଦେଷ୍ଟା, ୩ ଜଣ ଜିଲ୍ଲାପାଳ, ମୋ ସ୍କୁଲର ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସ୍‌ଡି), ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଓଓ) ଏବଂ ୩ ଜଣ ମନୋନୀତ ସଦସ୍ୟ।

ପ୍ରଶାସନିକ ପରିଷଦ ପ୍ରତି ତିନିମାସରେ ଥରେ ଏକାଠି ହୁଏ। ସିଇଓ ପ୍ରତି ବୈଠକରେ ହୋଇଥିବା ଆଲୋଚନା ଓ ନିଷ୍ପତ୍ତିକୁ ନେଇ ଏକ ବିବରଣୀ ପ୍ରସ୍ତୁତ କରନ୍ତି ଏବଂ ତାହାକୁ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ମଂଜୁରୀ ପାଇଁ ପଠାନ୍ତି।

ପ୍ରଶାସନିକ ପରିଷଦର ଭୂମିକା ଓ କାର୍ଯ୍ୟାବଳୀ:

  • “ମୋ’ ସ୍କୁଲ ଅଭିଯାନ”ର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ପ୍ରଶାସନିକ ପରିଷଦ ବାର୍ଷିକ କାର୍ଯ୍ୟବିଧି ଓ ଯୋଜନା ପ୍ରସ୍ତୁତ କରନ୍ତି।
  • ପ୍ରଶାସନିକ ପରିଷଦ ଆବଶ୍ୟକସ୍ଥଳେ କାର୍ଯ୍ୟକାରୀ ପରିଷଦ ଦ୍ୱାରା ପଠାଯାଇଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରି ମଂଜୁରୀ ଦେଇଥାଏ।
  • ଓଡ଼ିଶା ସରକାରଙ୍କ ନିୟମ କାନୁନ ଅନୁସାରେ ମୋ ସ୍କୁଲର ପାଣ୍ଠି ଓ ସଂପତ୍ତିର ପରିଚାଳନା କରନ୍ତି ଓ ଆବଶ୍ୟକସ୍ଥଳେ ବିଭିନ୍ନ ପାଣ୍ଠି ସଂଗ୍ରହ ଓ ବ୍ୟୟ ଲାଗି ସ୍ୱଚ୍ଛତାର ସହ ପଦ୍ଧତି ନିର୍ଦ୍ଧାରଣ କରନ୍ତି।
  • ଗୋଟିଏ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରଣୟନ କରନ୍ତି। ସେହି ବର୍ଷ ପାଇଁ ସଂଶୋଧିତ ବଜେଟ ଅଟକଳ ପ୍ରସ୍ତୁତ କରନ୍ତି ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କ ମଂଜୁରୀ ପାଇଁ ପଠାନ୍ତି।
  • “ମୋ’ ସ୍କୁଲ”ର ବାର୍ଷିକ ରିପୋର୍ଟ ଓ ହିସାବର ଅଡିଟ୍‌ ରିପୋର୍ଟକୁ ମଂଜୁରୀ ଦିଅନ୍ତି।
  • “ମୋ’ ସ୍କୁଲ”ର କାର୍ଯ୍ୟ ସଂପର୍କରେ କିମ୍ବା ଏହି ସଂଗଠନ ସଂପର୍କରେ ବିଶେଷଜ୍ଞ ମତାମତ ପାଇଁ କମିଟି, ପରାମର୍ଶଦାତା, ଅଧ୍ୟୟନ ଗୋଷ୍ଠୀ ବା କାର୍ଯ୍ୟ ଗୋଷ୍ଠୀ ନିଯୁକ୍ତ କରେ।
  • ସ୍କୁଲ ଓ ଗଣଶିକ୍ଷା ବିଭାଗର ପରାମର୍ଶରେ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ମାନକ କାର୍ଯ୍ୟବିଧି ନିର୍ଦ୍ଧାରଣ କରେ।
  • ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ମଂଜୁରୀ ଦିଏ। ଏସବୁ ନିଷ୍ପତ୍ତିକୁ ଆବଶ୍ୟକତା ଅନୁସାରେ ଓ ଆର୍ଥିକ ସକ୍ଷମତା ଅନୁସାରେ କାର୍ଯ୍ୟକାରୀ କରେ।
  • ସଂଗଠନର ଲକ୍ଷ୍ୟ ହାସଲ ନିମନ୍ତେ ପାଣ୍ଠି ଯୋଗାଡ ଲାଗି ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ।
  • “ମୋ’ ସ୍କୁଲ” ମୂଳ ଲକ୍ଷ୍ୟ ହାସଲ ଲାଗି ଆବଶ୍ୟକ ଅନ୍ୟ ସମସ୍ତ ପ୍ରକାରର କାର୍ଯ୍ୟ କରେ।
  • “ମୋ’ ସ୍କୁଲ ଅଭିଯାନ’ର ସଠିକ କାର୍ଯ୍ୟାନ୍ଵୟନ ପାଇଁ ପ୍ରଶାସନିକ ପରିଷଦ କାର୍ଯ୍ୟକାରୀ ନିର୍ଦ୍ଦେଶ, ଗାଇଡ୍‌ ଲାଇନ୍‌, ସର୍କୁଲାର୍‌, ସ୍ପଷ୍ଟୀକରଣ ଆଦି ଜାରି କରିପାରିବ।

"ମୋ' ସ୍କୁଲ" କାର୍ଯ୍ୟନିର୍ବାହୀ ପରିଷଦ

“ମୋ’ ସ୍କୁଲ” କାର୍ଯ୍ୟନିର୍ବାହୀ ପରିଷଦ (ଇସି) ସଂଗଠନର ନିତିଦିନିଆ କାର୍ଯ୍ୟ ପରିଚାଳନା କରେ। ଏହା ଏକ ରାଜ୍ୟସ୍ତରୀୟ କମିଟି (ଏସ୍‌ଏଲ୍‌ସି) ଭାବରେ କାର୍ଯ୍ୟକରେ। ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ।ସଂଗଠନର ସିଇଓ ଉପ-ସଭାପତି। ସେହିପରି ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସ୍‌ଡି) ଇସିର ସଦସ୍ୟ ଆବାହକ ଭାବରେ କାମ କରନ୍ତି।

କାର୍ଯ୍ୟନିର୍ବାହୀ ପରିଷଦର ଅନ୍ୟ ସଦସ୍ୟମାନେ ହେଲେ ସଂଗଠନର ସିଓଓ, ନିର୍ଦ୍ଦେଶକ-ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ-ଟିଇ ଓ ଏସସିଇଆର୍‌ଟି (ଶିକ୍ଷକ ତାଲିମ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ), ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ-ଓସେପା, ଆର୍ଥିକ ଉପଦେଷ୍ଟା ଓ ମୁଖ୍ୟ ଲେଖା ଅଧିକାରୀ-ଓସେପା, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ।

ଇସିର ମନୋନୀତ ସଦସ୍ୟମାନେ ହେଲେ ଜଣେ ସ୍ଥପତି, ଜଣେ ଚଳଚ୍ଚିତ୍ର ନିର୍ମାତା, ଜଣେ ଶିକ୍ଷା ପଦ୍ଧତି ବିଶେଷଜ୍ଞ ଓ ଅଧ୍ୟକ୍ଷ/ସିଇଓଙ୍କ ଦ୍ୱାରା ମନୋନୀତ ଦୁଇଜଣ ଅନ୍ୟ ସଦସ୍ୟ, ଯେଉଁମାନେ କି ସ୍କୁଲ ଶିକ୍ଷା, କଳା, ସାହିତ୍ୟ, ଡିଜାଇନ୍‌, ବିଜ୍ଞାପନ, ବିଜ୍ଞାନ, ଇଂଜିନିୟରିଂ, ସାମାଜିକ କାର୍ଯ୍ୟ ଓ କ୍ରୀଡା ଓ ଅନ୍ୟ ବିଭିନ୍ନ କ୍ଷେତ୍ର ସହ ସଂପୃକ୍ତ ଥିବେ।

କାର୍ଯ୍ୟନିର୍ବାହୀ ପରିଷଦର ଭୂମିକା ଓ କାର୍ଯ୍ୟ ନିମ୍ନରେ ଦିଆଗଲା:

  • ଇସି ସଂଗଠନର ନିତିଦିନିଆ କାର୍ଯ୍ୟଗୁଡ଼ିକର ପରିଚାଳନା କରେ।
  • ସଂଗଠନର ସବୁ ବ୍ୟାପାର ଓ ପାଣ୍ଠିର ନିୟନ୍ତ୍ରଣ ଏବଂ ପରିଚାଳନା କରେ।
  • ପ୍ରତି ତିନିମାସରେ ଥରେ କିମ୍ବା ଆବଶ୍ୟକ ପଡିଲେ ଏକାଧିକ ଥର ଏହାର ବୈଠକ ବସେ।
  • ପ୍ରଶାସନିକ ପରିଷଦ (ଜିସି)ର ସବୁ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରେ।
  • ସ୍କୁଲ ଓ ଗଣଶିକ୍ଷା ବିଭାଗ ସହିତ ସମନ୍ୱୟ ରଖି କାର୍ଯ୍ୟ କରେ।
  • ୩୦ଟି ଜିଲ୍ଲା ସ୍ତରୀୟ କମିଟି (ଡିଏଲ୍‌ସି) ସହିତ ସମନ୍ୱୟ ରଖି କାର୍ଯ୍ୟ କରେ ଏବଂ ପ୍ରଶାସନିକ ପରିଷଦ ଓ ଜିଲ୍ଲା ସ୍ତରୀୟ କମିଟି ମଧ୍ୟରେ ସଂଯୋଗ ରକ୍ଷା କରେ।
  • ପ୍ରକଳ୍ପ ପ୍ରସ୍ତାବ ଗୁଡ଼ିକର ସମୀକ୍ଷା କରେ ଏବଂ ପ୍ରକଳ୍ପ ଗୁଡ଼ିକୁ ଡିଏଲ୍‌ସିକୁ ପ୍ରେରଣ କରେ।
  • ମୋ ସ୍କୁଲ ଅଭିଯାନର ସଠିକ କାର୍ଯ୍ୟାନ୍ୱୟନ ପାଇଁ ଡିଏଲ୍‌ସି ସହିତ ସମନ୍ୱୟ ରକ୍ଷା କରେ।
  • ନିର୍ଦ୍ଦିଷ୍ଟ ପ୍ରକଳ୍ପ ଉପରେ ବାର୍ଷିକ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରେ ଏବଂ ତିନିମାସିଆ ଲକ୍ଷ୍ୟ ଧାର୍ଯ୍ୟକରେ। ତା’ପରେ ସେଗୁଡ଼ିକ ପ୍ରଶାସନିକ ପରିଷଦର ମଂଜୁରୀ ପାଇଁ ପଠାଯାଏ।

"ମୋ' ସ୍କୁଲ" ଜିଲ୍ଲାସ୍ତରୀୟ କମିଟି

ଓଡ଼ିଶାରେ ୩୦ଟି ଜିଲ୍ଲା ରହିଛି। ପ୍ରତି ଜିଲ୍ଲାରେ ମୋ ସ୍କୁଲ ଜିଲ୍ଲା ସ୍ତରୀୟ କମିଟି ରହିଛି। ଜିଲ୍ଲାପାଳ ଏହାର ଅଧ୍ୟକ୍ଷ। ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ସଦସ୍ୟ ଆବାହକ।

ଡିଏଲ୍‌ସିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ଜିଲ୍ଲା ପ୍ରକଳ୍ପ ସଂଯୋଜକ-ସର୍ବ ଶିକ୍ଷା ଅଭିଯାନ, ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ(ଡିଆଇଇଟି)ର ଅଧ୍ୟକ୍ଷ,ଜଣେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ), ସ୍କୁଲ ପରିଚାଳନା ଓ ଉନ୍ନୟନ ପରିଷଦ (ଏସ୍‌ଏମ୍‌ଡିସି)ର ଦୁଇଜଣ ନାଗରିକ ସଦସ୍ୟ।

ଡିଏଲ୍‌ସିର ମନୋନୀତ ସଦସ୍ୟମାନେ ହେଲେ ଜଣେ ସ୍ଥପତି, ମୋ ସ୍କୁଲ ଦ୍ୱାରା ମନୋନୀତ ଜଣେ ଚଳଚ୍ଚିତ୍ର ନିର୍ମାତା, ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ଦୁଇଜଣ ଅନ୍ୟ ସଦସ୍ୟ, ଯେଉଁମାନେ ସ୍କୁଲ ଶିକ୍ଷା, କଳା, ସାହିତ୍ୟ, ଡିଜାଇନ, ବିଜ୍ଞାପନ, ବିଜ୍ଞାନ, ଇଂଜିନିୟରିଂ, ସାମାଜିକ କାର୍ଯ୍ୟ ଓ କ୍ରୀଡା ଓ ଅନ୍ୟ ବିଭିନ୍ନ କ୍ଷେତ୍ର ସହ ସଂପୃକ୍ତ ଥିବେ।

ଡିଏଲ୍‌ସିର ଭୂମିକା ଓ କାର୍ଯ୍ୟ ନିମ୍ନରେ ଦିଆଗଲା:

  • ଡିଏଲ୍‌ସି ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ପୁରାତନ ଛାତ୍ରସଂଘ ଓ ଅନ୍ୟ ସ୍ଥାନୀୟ ସଂସ୍ଥାମାନଙ୍କ ସହଯୋଗରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରେ ଏବଂ ସଚେତନତା ଅଭିଯାନ ଆୟୋଜନ କରେ।
  • ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କଠାରୁ ପାଣ୍ଠି ସଂଗ୍ରହ ଏବଂ ଅନ୍ୟ ସହାୟତା ତଥା ସହଯୋଗ ପାଇବା ପାଇଁ ସ୍କୁଲ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଯୋଗାଯୋଗ ରଖେ।
  • ସ୍ଥାନୀୟ ସ୍କୁଲ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହାୟତାରେ ଜରୁରୀ ଡାଟାବେସ୍‌ ପ୍ରସ୍ତୁତ କରେ।
  • ଦାତାମାନଙ୍କ ତାଲିକା ଓ ସବିଶେଷ ପ୍ରକଳ୍ପ ପ୍ରସ୍ତାବ କାର୍ଯ୍ୟନିର୍ବାହୀ ପରିଷଦର ମଂଜୁରୀ ଓ ସରକାରଙ୍କ ଅନୁଦାନ ପାଇଁ ପ୍ରେରଣ କରେ।
  • ଦାତାଙ୍କ ଇଚ୍ଛାନୁସାରେ ପ୍ରକଳ୍ପର ଉପଯୁକ୍ତ କାର୍ଯ୍ୟାନ୍ୱୟନ ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରେ।
  • ଇସିର ନିର୍ଦ୍ଦେଶ ଓ ସୁପାରିଶକ୍ରମେ ଜିଲ୍ଲାର ସବୁ ଅଞ୍ଚଳରେ ଯେପରି ମୋ ସ୍କୁଲ ଅଭିଯାନ ଠିକଭାବରେ କାର୍ଯ୍ୟକାରୀ ହୋଇପାରିବ ତାହା ନିଶ୍ଚିତ କରେ।
  • ଡିଏଲ୍‌ସି ମୋ ସ୍କୁଲ ସମ୍ବିଧାନ ଅନୁସାରେ ଆବଶ୍ୟକ ଥିବା କୌଣସି ପ୍ରକଳ୍ପକୁ ଇସିର ପରାମର୍ଶକ୍ରମେ କାର୍ଯ୍ୟକାରୀ କରେ।

"ମୋ' ସ୍କୁଲ" ପରାମର୍ଶଦାତା ପରିଷଦ

ସରକାରଙ୍କ ମଂଜୁରୀକ୍ରମେ ପ୍ରଶାସନିକ ପରିଷଦ ମୋ ସ୍କୁଲ ପରାମର୍ଶଦାତା ପରିଷଦକୁ ପାଞ୍ଚଜଣ ବ୍ୟକ୍ତିଙ୍କୁ ମନୋନୀତ କରିପାରିବ। ଏମାନଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। ଏହି ସଦସ୍ୟମାନେ ଶିକ୍ଷା, କଳା, ସାହିତ୍ୟ, ଡିଜାଇନ, ବିଜ୍ଞାପନ, ବିଜ୍ଞାନ, ଇଂଜିନିୟରିଂ, ସାମାଜିକ କାର୍ଯ୍ୟ ଏବଂ କ୍ରୀଡା ଓ ଅନ୍ୟ ବିଭିନ୍ନ କ୍ଷେତ୍ର ସହ ସଂପୃକ୍ତ ଥିବେ।

ମୋ ସ୍କୁଲ ପରାମର୍ଶଦାତା ପରିଷଦକୁ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଛି।

    • ଡକ୍ଟର ଯତୀନ୍ଦ୍ର କୁମାର ନାୟକ,

      ଶିକ୍ଷାବିତ୍‌ ଓ ସାହିତ୍ୟିକ

ଡକ୍ଟର ଯତୀନ୍ଦ୍ର କୁମାର ନାୟକ ଜଣେ ସୁପରିଚିତ ଶିକ୍ଷାବିତ୍‌ ଓ ସାହିତ୍ୟିକ। ଓଡିଆରୁ ଇଂରାଜୀକୁ ଅନୁବାଦ, ସାହିତ୍ୟ ସମାଲୋଚନା, ବିଭିନ୍ନ ସ୍ତମ୍ଭ ରଚନା ଏବଂ ସମ୍ପାଦନ କ୍ଷେତ୍ରରେ ସେ ସୁପରିଚିତ। ସେ କଟକର ରେଭେନ୍‌ସା କଲେଜରେ ଶିକ୍ଷାଲାଭ କରିଥିଲେ ଏବଂ ପରେ ଅକ୍‌ସ୍‌ଫୋର୍ଡ୍‌ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍‌ କରିଥିଲେ। ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ସାହିତ୍ୟ ପଢାଉଥିଲେ। ଅନୁବାଦ ସାହିତ୍ୟର ପ୍ରସାର ପାଇଁ ଡକ୍ଟର ନାୟକ ‘ରୂପାନ୍ତର’ ନାମକ ଏକ ସଂସ୍ଥା ସ୍ଥାପନ କରିଛନ୍ତି। ‘ରୂପାନ୍ତର’ ବହୁ ଓଡିଆ ପୁସ୍ତକକୁ ଇଂରାଜୀରେ ଅନୁବାଦ କରିସାରିଛି।


    • ଶ୍ରୀମତୀ ନିବେଦିତା ସ୍କଡର୍‌,

      ଶିକ୍ଷାବିତ୍‌ ଓ ଏନ୍‌ଜିଓ ମୁଖ୍ୟ

ଶ୍ରୀମତୀ ନିବେଦିତା ସ୍କଡର୍‌ ରିଷିଭ୍ୟାଲି ସ୍କୁଲ୍‌ର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ। ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ଭାବରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ବିଏଡ୍‌ ଓ ଏମ୍‌ଏଡ୍‌ କରିଥିଲେ। ଅଷ୍ଟ ଦଶକର ଆରମ୍ଭରେ ସେ ବିଶାଖାପାଟଣାର ଟିମ୍ପାନି ସ୍କୁଲ୍‌ରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ପରେ ରିଷିଭ୍ୟାଲି ସ୍କୁଲରେ ଯୋଗ ଦେଇଥିଲେ। ସେଇ ବିଦ୍ୟାଳୟରେ ୧୨ ବର୍ଷ ଶିକ୍ଷକତା କରିବା ପରେ ୧୯୯୭ ରୁ ୧୯୯୯ ପର୍ଯ୍ୟନ୍ତ ସେ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ। ୨୦୦୦ ମସିହାରୁ ସେ ବେସରକାରୀ ଅନୁଷ୍ଠାନ ‘ଉନ୍ନୟନ’ର ଅଧ୍ୟକ୍ଷା ରୂପେ କାର୍ଯ୍ୟରତ। ‘ଉନ୍ନୟନ’ ଅନୁନ୍ନତ ସମ୍ପ୍ରଦାୟଙ୍କ ସ୍ଥାୟୀ ବିକାଶ ପାଇଁ ସତତ କାର୍ଯ୍ୟ କରି ଚାଲିଛି।

"ମୋ' ସ୍କୁଲ" ଟିମ୍‌ ପରିଚୟ

ଓଡ଼ିଶାର ସାହିତ୍ୟ ଜଗତରେ ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଏକ ପରିଚିତ ନାମ। ଓଡ଼ିଶା ପୋଲିସ ହାଇସ୍କୁଲରୁ ମ୍ୟାଟ୍ରିକ୍‌ ପାସ୍‌ କରିଥିବା ସୁସ୍ମିତାଙ୍କର ଏକ ଉଲ୍ଲେଖନୀୟ ସ୍କୁଲ ଓ କଲେଜ କ୍ୟାରିୟର୍‌ ରହିଥିଲା। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍‌ କରିବା ପରେ ସେ ଦିଲ୍ଲୀର ଦୌଲତ ରାମ କଲେଜରେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ସାହିତ୍ୟ ଜଗତକୁ ନିଜର ସବୁ ସମୟ ଦେବା ଆରମ୍ଭ କଲେ। ଏଥି ସହିତ ପ୍ରାୟ ତିନି ଦଶନ୍ଧି ଧରି ଓଡ଼ିଶାର ଲୋକପ୍ରିୟ ପତ୍ରିକା ‘ସୁଚରିତା’ର ସହକାରୀ ସମ୍ପାଦକ ଭାବେ ସେ କାର୍ଯ୍ୟ କରୁଥିଲେ। ସେ ୧୮ଟି ପୁସ୍ତକ ଲେଖିଛନ୍ତି। ଏଗୁଡ଼ିକ ମଧ୍ୟରେ ରହିଛି କ୍ଷୁଦ୍ରଗଳ୍ପ ସଂକଳନ, ଉପନ୍ୟାସ ଓ ଭ୍ରମଣକାହାଣୀ। ତାଙ୍କ ଲିଖିତ ପୁସ୍ତକ ବିଭିନ୍ନ ଭାରତୀୟ ଭାଷା ଯଥା ମରାଠୀ, ତେଲୁଗୁ, କନ୍ନଡ, ମାଲାୟଲମ୍‌, ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁବାଦିତ ହୋଇ ପ୍ରକାଶିତ ହୋଇଛି। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ପୁରସ୍କାର, ଉତ୍କଳ ସମ୍ମାନ, ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର ଆଦି ବିଭିନ୍ନ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ମୋ ସ୍କୁଲ ଅଭିଯାନରେ ନିଜର ସମ୍ପୂର୍ଣ୍ଣ ସମୟ ଦେବା ସହ ସୁସ୍ମିତା ବାଗଚୀ ମାନସିକ ସ୍ୱାସ୍ଥ୍ୟ, ଦୃଷ୍ଟିହୀନତା ଓ ବୟସ୍କ ସେବା ଆଦି ସାମାଜିକ କ୍ଷେତ୍ରରେ ସକ୍ରିୟ ଅଛନ୍ତି। "ମୋ' ସ୍କୁଲ ଅଭିଯାନ"ରେ ଅନ୍ତର୍ଭୁକ୍ତ ହେବାଦ୍ୱାରା ତାଙ୍କୁ ନିଜ ମାତୃଭୂମିର ସେବା କରିବାକୁ ସୁଯୋଗ ଓ ସୌଭାଗ୍ୟ ମିଳିଛି ବୋଲି ସେ ବିଶ୍ୱାସ କରନ୍ତି।
ଓଡି଼ଶା କ୍ୟାଡ଼ରର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅଶ୍ୱଥୀ ଏସ୍‌. ଏବେ ଓଡି଼ଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୦୨୨ରୁ କମିଶନର ତଥା ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ୨୦୦୩ ମସିହାରେ ସର୍ବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହୋଇଥିବା ବେଳେ, ପୂର୍ବରୁ ସେ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡ଼େମୀର ଉପ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ସେ ଜଣେ ଉଚ୍ଚକୋଟୀର କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି । ଓଡ଼ିଶାର ଶୈକ୍ଷିକ ବିକାଶରେ ଶ୍ରୀମତୀ ଅଶ୍ଵଥୀଙ୍କର ଭୂମିକା ଅତୁଳନୀୟ
ଶ୍ରୀ ଅମରଜିତ ଜେନାଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କ୍ଷେତ୍ରରେ ଦୀର୍ଘ ୨୭ ବର୍ଷର ଅଭିଜ୍ଞତା ରହିଛି। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ପାଇଁ ସେ ବହୁ ଯୋଜନା ପ୍ରସ୍ତୁତ କରିଛନ୍ତି। ୟୁନିସେଫ୍‌ରେ ଶିକ୍ଷା ଅଧିକାରୀ ଭାବେ (୨୦୦୮-୧୩) କାର୍ଯ୍ୟ କରୁଥିବା ସମୟରେ ସେ ଓଡ଼ିଶା ସରକାରଙ୍କ ସହ କାର୍ଯ୍ୟ କରି ସ୍କୁଲ ଓ ଗଣଶିକ୍ଷା ବ୍ୟବସ୍ଥାକୁ ଶିଶୁ ଅନୁକୂଳ କରିବାରେ ନିଜର ଯୋଗଦାନ ଦେଇଥିଲେ। ସେହିପରି ଟେସ ଇଣ୍ଡିଆ (ସ୍କୁଲ ଭିତ୍ତିକ ସହାୟତା ମାଧ୍ୟମରେ ଶିକ୍ଷକ ତାଲିମ) ରେ ଓପନ୍‌ ୟୁନିଭର୍ସିଟି, ୟୁକେ ଓ ବ୍ରିଟିଶ୍‌ କାଉନସିଲ୍‌ ସହିତ କାମ କରି ସେ ଶିଶୁ-କୈନ୍ଦ୍ରିକ ଶିକ୍ଷାଦାନ କୌଶଳକୁ କାର୍ଯ୍ୟକାରୀ କରିବା ଏବଂ ବିଭିନ୍ନ ମୁକ୍ତ ସମ୍ବଳ, ଅନ୍‌ଲାଇନ୍‌ ଶିକ୍ଷାଦାନ ଓ ସୋସିଆଲ ମିଡିଆ ମାଧ୍ୟମରେ ଶିକ୍ଷାଗ୍ରହଣକୁ ପ୍ରୋତ୍ସାହିତ କରିବା ଦିଗରେ ସେ ନେତୃତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସ୍କୁଲ ପିଲାଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ସେ ବିଭିନ୍ନ ବିଜ୍ଞାନ ଭିତ୍ତିକ ଜନ-ଅଭିଯାନ ଗୁଡ଼ିକରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଜାତୀୟ ସାକ୍ଷରତା ମିଶନ୍‌ର ଜଣେ ପରାମର୍ଶଦାତା ଭାବେ ସେ ଓଡ଼ିଶା ଓ ବିହାରରେ ସଂପୂର୍ଣ୍ଣ ସାକ୍ଷରତା ଅଭିଯାନକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମଧ୍ୟ କାମ କରିଥିଲେ ।
ଶ୍ରୀମତୀ ରାଜଲକ୍ଷ୍ମୀ ଦାଶ "ମୋ ସ୍କୁଲ ଅଭିଯାନ"ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଅଟନ୍ତି। ସାମାଜିକ ବିକାଶ କ୍ଷେତ୍ରରେ ତାଙ୍କର ପ୍ରାୟ ୧୨ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ଶ୍ରୀମତୀ ରାଜଲକ୍ଷ୍ମୀ ସିଭିଲ୍ ଆଇନରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତାର ପୂର୍ଣ୍ଣ ଉପଯୋଗ ଏବଂ କାର୍ଯ୍ୟକାରିତା ପାଇଁ ସେ ଆଗ୍ରହୀ । ଏହାସହ ବିଦ୍ୟାଳୟ ଶିକ୍ଷା ତଥା ଶିଶୁ ସୁରକ୍ଷା କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ସଂଗଠନରୁ ମିଳୁଥିବା ପାଣ୍ଠିର ସୁବିନିଯୋଗ ପାଇଁ ସେ ଦାୟିତ୍ଵ ନେଇଛନ୍ତି 
ଡ. ମଣି ପ୍ରସାଦ ମିଶ୍ର 'ମୋ ସ୍କୁଲ'ରେ ଓଏସଡି(ଅଫିସର ଅନ୍ ସେସ୍ପିଆଲ ଡ୍ୟୁଟି) ଭାବେ ୨୦୨୩ ମାର୍ଚ୍ଚ ୧୦ ତାରିଖ ଯୋଗ ଦେଇଛନ୍ତି । ଜଣେ ଉତ୍ସର୍ଗୀକୃତ ଅଧିକାରୀ ଭାବେ ଡ. ମିଶ୍ର ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟକରି ନିଜର ଯୋଗଦାନ ଦେଇଛନ୍ତି । ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଭାବେ ନିୟୋଜିତ ହୋଇ ସେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ଜଣେ ସଚ୍ଚୋଟ, କର୍ତ୍ତବ୍ୟପରାୟଣ, କର୍ମଠ ଓ ଦକ୍ଷ ଅଧିକାରୀ ଭାବେ ସେ ପରିଚିତ । ଡ. ମିଶ୍ର ନିରନ୍ତର ଭାବେ ସ୍ୱଚ୍ଛତା ଓ ଦକ୍ଷତାର ସହ ବିଭିନ୍ନ ପ୍ରକଳ୍ପକୁ ସଫଳ କରାଇଛନ୍ତି । ବିଦ୍ୟାଳୟର ଉନ୍ନତି, ଶିକ୍ଷାର ମାନରେ ବୃଦ୍ଧି କରିବା ପ୍ରତି ତାଙ୍କର ପ୍ରତିବଦ୍ଧତା ହିଁ କିଛି ନୂଆ କରିବାକୁ ସବୁବେଳେ ପ୍ରେରିତ କରୁଛି ।
ଶ୍ରୀମତୀ ସସ୍ମିତା ମାଳୀ ୨୦୧୨ ବ୍ୟାଚ୍ ଓଡିଶା ଶିକ୍ଷା ସେବା ଅଧିକାରୀ । ସେ ଦୀର୍ଘ ୭ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍ର ଶିକ୍ଷା ଅଧିକାରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ଏହି ସମୟରେ ସେ ଉକ୍ତ ବ୍ଲକରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଅନେକ ପ୍ରୟାସ କରିଥିଲେ । ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ପୁଣିଥରେ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଇବାକୁ ସେ କରିଥିବା ଉଦ୍ୟମ ପ୍ରଶଂସନୀୟ । ବ୍ଲକ୍ ଶିକ୍ଷା ଅଧିକାରୀ ଥିବା ସମୟରେ ସେ ପ୍ରାଥମିକ ଶିକ୍ଷାର ବିକାଶ ଲାଗି ଅନେକ ପଦକ୍ଷେପ ନେଇଥିଲେ । ‘ମୋ ସ୍କୁଲ୍ ଅଭିଯାନ’ ଆରମ୍ଭ ହେବା ପରେ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଅଭିଯାନକୁ ଲୋକପ୍ରିୟ କରାଇବାରେ ତାଙ୍କର ବିଶେଷ ଭୂମିକା ରହିଛି । ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରି ସେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଏହି ଅଭିଯାନକୁ ପରିଚିତ କରାଇଥିଲେ । ଶ୍ରୀମତୀ ମାଳୀ ‘ଏନ୍ୟୁଇପିଏ’ଦ୍ୱାରା ୨୦୧୮ରେ ଶ୍ରେଷ୍ଠ ପ୍ରଶାସିକା ଭାବରେ ପୁରସ୍କୃତ ହୋଇଥିଲେ ।
ଶ୍ରୀ ଅବିନାଶ ଶତପଥୀ(ଓଇଏସ ୨୦୧୬) ଏବେ 'ମୋ ସ୍କୁଲ'ର କାର୍ଯ୍ୟକ୍ରମ ଅଧିକାରୀ(ପ୍ରୋଗ୍ରାମ ଅଫିସର) ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ୩ ବର୍ଷରୁ ଅଧିକ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଭାବେ କାର୍ଯ୍ୟ କରିଛନ୍ତି । ଜଣେ ଉତ୍ସର୍ଗୀକୃତ ପ୍ରଧାନ ଶିକ୍ଷକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପ୍ରଧାନ ଶିକ୍ଷକ ସମୟରେ ନେତୃତ୍ୱ ନେବାର କ୍ଷମତା ପ୍ରଦର୍ଶନ ସହ ବିଦ୍ୟାର୍ଥୀଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରତି ଉତ୍ସାହପୂର୍ଣ୍ଣ କାର୍ଯ୍ୟ କରିଥିଲେ । ଏସବୁର ଅଭିଜ୍ଞତା ତାଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀର ଦାୟିତ୍ୱକୁ ଅଧିକ ପ୍ରଭାବଶାଳୀ କରିବାରେ ସାହାଯ୍ୟ କରିଥିଲା । ସେ ଶିକ୍ଷାର ଗୁଣାତ୍ମକ ବୃଦ୍ଧି ପାଇଁ ଅନେକ କାର୍ଯ୍ୟ ହାତକୁ ନେଇ ସଫଳ ହୋଇଥିଲେ । ଶ୍ରୀ ଶତପଥୀ ଏବେ ‘ମୋ ସ୍କୁଲ’ର ପ୍ରୋଗ୍ରାମ ଅଫିସର ଦାୟିତ୍ୱ ନିର୍ବାହ କରୁଛନ୍ତି । ରାଜ୍ୟସ୍ତରୀୟ ଶିକ୍ଷା ନୀତି ଓ ବିଭିନ୍ନ କାର୍ଯ୍ୟକ୍ରମକୁ ମଜଭୁତ କରିବାରେ ତାଙ୍କର ବହୁତ ଅବଦାନ ରହିଛି । ନିରନ୍ତର ଭାବେ ଶିକ୍ଷାର ସ୍ତରକୁ ଉନ୍ନୀତ କରିବା ପାଇଁ ତାଙ୍କ ଅଦମ୍ୟ ଆଗ୍ରହ ଓ ଉତ୍ସାହ ରହିଆସିଛି ।
top
top